Categories
Contest Article Poetry

ମୋ ଓଡିଶା

ଜଗନ୍ନାଥ ଯା’ର ପରିଚୟ ପତ୍ର
ମଧୁର ଯାହାର ଭାଷା
ବୀର ପ୍ରସବୀନି ସେଇ ମୋ ଜନନୀ
ସୁନ୍ଦର ନାମ ଓଡିଶା ।।

ଗିରି ନଦୀ ବନ ନନ୍ଦନକାନନ
ଆମ୍ବ ପଣସର ବଣ
କିଆବୁଦା ପୁଣି ପୋଖରୀର ହୁଡା
ପଲ୍ଲୀରେ ରହେ ଯା’ ମନ ।।

ସୁନାର ଚଢେଇ ବାନ୍ଧି ହୋଇଥିଲା
ଦିନେ ବିଦେଶୀ କବଳେ
ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ
ଲଢିଥିଲେ ସେତେବେଳେ ।।

ଜୟୀ ରାଜଗୁରୁ ଅମର କାହାଣୀ
ଏବେବି ମାଟିରୁ ଫୁଟେ
ବାଜି ରାଉତର ବୀରତ୍ଵ ଗାଥାରେ
ଆଖିରୁ ପାଣି ଯେ ଛୁଟେ ।।

ପାଇକ ମହାନ ଜାତିର ସଇନ
କ୍ରାନ୍ତିର ପଥରେ ଚାଲି
ଫିରଙ୍ଗି ଶାସନ ଦୋହଲାଇ ଦେଇ
ରାଇଜୁ ଦେଲେ ସେ ଠେଲି ।।

ଶଙ୍ଖକ୍ଷେତ୍ର ଏଠି ଅର୍କକ୍ଷେତ୍ର ଏଠି
ତୁଳସୀ କ୍ଷେତ୍ର ବି ଅଛି
ଶାବର ଶ୍ରୀକ୍ଷେତ୍ର ଏକାମ୍ର କ୍ଷେତ୍ରକୁ
ବିଧାତା ରଖିଛି ବାଛି ।।

ହିଙ୍ଗୁଳା ମଙ୍ଗଳା ମାଆ ସମଲେଇ
ଘଣ୍ଟ ଘୋଡେଇ ରଖିଛି
ସାରଳା ଚର୍ଚ୍ଚିକା ମାଆ ବିରଜାଙ୍କ
ଆଶରା ପୁଣି ମିଳିଛି ।।

ଜଗତର ନାଥ ଉଡାଇଣ ନେତ
ରତ୍ନ ସିଂହାସନେ ବସି
ଗରଳ ପିଇଣ ବାବା ଲିଙ୍ଗରାଜ
ବାଣ୍ଟି ଦେଉଛନ୍ତି ଖୁସି ।।

କୋଣାର୍କ ବର୍ଣ୍ଣନା କରିବାକୁ ନାହିଁ
ମୋ ପାଖରେ କିଛି ଭାଷା
ପିପିଲି ଚାନ୍ଦୁଆ ପଟ୍ଟଚିତ୍ର ପାଇଁ
ପ୍ରସିଦ୍ଧ ଆମ ଓଡିଶା ।।

ଖଣ୍ଡୁଆ ପାଟକୁ ବରମ୍ପୁରୀ ପାଟ
ସମ୍ବଲପୁରୀ ତ ଶାଢୀ
ପ୍ରତି ପ୍ରାନ୍ତ କଥା ବିଭିନ୍ନ ମହତ୍ତ୍ଵ
ଓଡିଆତ୍ଵ ଦିଏ ବାଢି ।।

ନିମାପଡା ଝିଲ୍ଲୀ ପାହାଳର ମିଠା
ଥରେ ଖାଇଅଛି ଯିଏ
ନୟାଗଡ ପୋଡ଼ ସାଲେପୁର ଠାରୁ
ରସାବଳୀ ଥରେ ଖାଏ ।।

ବାରିପଦା ମୁଢି ଓଡିଆଣୀ ଶାଢ଼ୀ
ପୁରୁଷ ଧୋତି ଗାମୁଛା
କୋରାପୁଟ ନନି ଉଡାଇଲେ କାନି
ଓଡିଆତ୍ଵ ବହେ ତୁଛା ।।

ଓଡିଶୀ ମାହାରୀ ଚମ୍ପୁ ଆଉ ଛାନ୍ଦ
ଛଉନୃତ୍ୟ ପରମ୍ପରା
ଢେମସା ସାନ୍ତାଳୀ ସମ୍ବଲପୁରୀ ତ
ନାଚରେ ଜିଣିଛି ଧରା ।।

ପ୍ରକୃତି ହସୁଛି କୋଣେ ଅନୁକୋଣେ
ଚିଲିକା ଢେଉରେ ପୁଣି
ଚନ୍ଦ୍ରଭାଗା କୋଳେ ସୁନେଲି କିରଣ
ସୂରୁଯ ଦିଅନ୍ତି ବୁଣି ।।

ଦେଓମାଳି ଅଛି ଅଛି ପୁଣି ସିନ୍ଧୁ
ସିମିଳିପାଳ ବି ଅଛି
ଭିତରକନିକା ଗହୀରମଥାକୁ
କିଏ ଅବା ଭୁଲିଅଛି ।।

ଜଳ ସମ୍ପଦକୁ ଖଣିଜ ପଦାର୍ଥ
ଓଡିଶା ଗର୍ଭରେ ଧରି
ବର୍ଣ୍ଣିବାକୁ ଅଛି ଆହୁରି ଅନେକ
କଲମ ଯାଉଛି ସରି ।।

ପଲ୍ଲୀ ଠୁ ନଗର ମେଳଣ ଜାଗର
ଯାନିଯାତ୍ରା ପୁରିଅଛି
ରଥଯାତ୍ରା ଦେଶ ବିଦେଶେ ପ୍ରସିଦ୍ଧ
ବରଦାନ ମିଳିଅଛି ।।

ଯେତେ ବଖାଣିଲେ ଗଉରବ ଗାଥା
ନିଅଣ୍ଟ ରହିବ ଭାଷା
ସଂସ୍କୃତି ପରବ ଜାଣିବକୁ ହେଲେ
ବୁଲିବ ଆସ ଓଡିଶା ।।

ପଦ୍ମାଳୟା ମିଶ୍ର
ଚୂଡଙ୍ଗ ସାହି, ପୁରୀ, ଓଡିଶା

Categories
Contest Article Poetry

ପୁଣ୍ୟ ଭୂଇଁ ମୋ ଓଡିଶା

ମୋ ପାଇଁ ପୁଣ୍ୟ ଭୂଇଁ ମୋ ଓଡ଼ିଶା
ତା କୋଳ ସରଗ ପୁର
ଶିଖେଇଛି ମୋତେ ଜୀବନର କଥା
ଭାବିନି କାହାକୁ ପର ।।

ପାହାଡ଼ ପଵନ ସରିତ ସାଗର
ଝରଣାର କୁଳୁ ସୁର
ମିଠା କଥା କହି ମନ ମୋହିବାକୁ
କାନେ କାନେ କହେ ମୋର ।।

ପିତାମାତା ଭଳି ଜୀବନ୍ତ ଦେଵତା
ସେନେହ ମମତା ଝର
ସବୁତ ଦେଇଛି ଶକତି ଭରିଛି
ଚାଲିବାକୁ ପଥଧାର ।।

ଘେରି ରହିଛନ୍ତି ଚାରିକଡେ କେତେ
ପ୍ରିୟ ସଖା ସହୋଦର
ଦୁଃଖ ସୁଖ ଵାଣ୍ଟେ ସେମାନଙ୍କ ସହ
ନିଜଠୁ ପରା ନିଜର ।।

ସେଇ ମୋ ଉତ୍କଳ ତା ପୋଥି ପୁରାଣ
ମନରେ କରିଛି ଘର
ଭଜି ଭଜି ନିତି ତା ମଧୁର ବାଣୀ
ପବିତ୍ର ‌ହୁଏ ଅନ୍ତର ।।

ଆସରେ ସଭିଏଁ ଆଗଭର ହେବା
ରୁଣ ଶୁଝିଵାକୁ ତା’ର
ଭେଦଭାବ କିଛି ରଖିବାନି ମନେ
ସଂସାର ହେବ ସୁନ୍ଦର ।।

ହାସ୍ୟମୟୀ ରାଜ
ଓରାଳି, ହାଟଡିହି, କେନ୍ଦୁଝର
ମୋ – ୯୪୩୮୧୯୧୮୫୦

Categories
Contest Article Poetry

ସୁସ୍ଥ ଓଡିଶା ସୁଖୀ ଓଡିଶା

ନଈ ଗିରି ଝର କାନନ ସାଗର
ସୁନାର ଫସଲ କ୍ଷେତ
ଫୁଲ ଫଳ ଭରା ପ୍ରକୃତି ପସରା
ଉଡ଼ଇ ଉତ୍କଳ ନେତ ।

ଉତ୍କଳ ସନ୍ତାନ ସବୁଠି ମହାନ
ନରଖି ମନରେ ଭୀତି
ଗଢ଼ିଣ ନିଜକୁ ବଢ଼ନ୍ତି ଆଗକୁ
ଗାଇ ଜୀବନର ଗୀତି ।

ବିଜ୍ଞାନାଗାରରେ ଗବେଷଣାଗାରେ
ପରୀକ୍ଷଣେ ରତ ଥାଇ
ନୂଆ ଉଦ୍ଭାବନେ ବିକଶିତ ଜ୍ଞାନେ
ଉତ୍କଳ ନାମ ରଖଇ ।

ସଂସ୍କାର ସୁଶିକ୍ଷା ଜନନୀର ରକ୍ଷା
ଅଟେ ଜୀବନର ଦୀକ୍ଷା
ଆଳସ୍ୟକୁ ହରେ ପରିଶ୍ରମ କରେ
ମାଗେ ନାହିଁ କେବେ ଭିକ୍ଷା ।

ମଠ ମନ୍ଦିରରେ ଭକ୍ତି ଭାବନାରେ
ହୃଦୟେ ରଖି ବିଶ୍ୱାସ
ପୂଜି ଦେବାଦେବୀ ଧ୍ୟାୟି ତାଙ୍କ ଛବି
ଲଭଇ ଆତ୍ମ ସନ୍ତୋଷ ।

ପୂଜା ପାରବଣେ ରହିଣ ବିଧାନେ
ରଖେ ନିଜ ପରମ୍ପରା
କର୍ମେ ଦେଇ ଧ୍ୟାନ ଧର୍ମ ଆଚରିଣ
ଆଣେ ସୁଖର ପସରା ।

ନାରୀ ପ୍ରତି ଧ୍ୟାନ ନାରୀ ସୁସମ୍ମାନ
ରାଜନୀତି କ୍ଷେତ୍ରେ ସ୍ଥାନ
ସମାଜ ଗଠନେ ପୁରୁଷ ସମାନେ
ନାରୀ ମଙ୍ଗଳ ବିଧାନ ।

ସୁସ୍ଥ ଏ ଓଡିଶା ସୁଖୀ ଏ ଓଡ଼ିଶା
ଭାରତେ ରହିଛି ନାମ
ଭୁବନେ ବିଦିତ ସମ୍ମାନ ସହିତ
ରଖିବା ଆମରି କାମ ।

ଅନୁପମା ବିଶ୍ଵାଳ
ସମ୍ବଲପୁର, ଓଡିଶା
ମୋ – ୭୯୭୮୫୬୮୩୨୨